ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ ମଙ୍ଗଳ ଦୋଷକୁ ମାଙ୍ଗଳିକ ଦୋଷ କୁହାଯାଏ । ମଙ୍ଗଳଙ୍କ ସ୍ଥିତିର ଆଧାରରେ ମାଙ୍ଗଳିକ ଦୋଷ ନିର୍ଭର କରିଥାଏ । ଜାତକରେ ମାଙ୍ଗଳିକ ଦୋଷ ଜାଣିଲା ପରେ ମନୁଷ୍ୟ ଡରିଯାଏ, କାରଣ ଏହା ବୈବାହିକ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ।
ବିଶ୍ଵାସ କରାଯାଏ ଯେ ଯେଉଁ ବ୍ୟକ୍ତିର ଜାତକରେ ମାଙ୍ଗଳିକ ଦୋଷ ଥାଏ ସେହି ବ୍ୟକ୍ତି ମାଙ୍ଗଳିକ ଦୋଷ ଥିବା ଜାତକକୁ ହିଁ ବିବାହ କରିବା ଉଚିତ୍ । ଯାହା ବୈବାହିକ ଜୀବନ ସଫଳ ହୋଇଥାଏ । କିନ୍ତୁ ମନାନ୍ତର ମତାନ୍ତର ଦେଖାଦେଉଛି ।
କିପରି ସୃଷ୍ଟି ହୁଏ ମାଙ୍ଗଳିକ ଦୋଷ-
ମଙ୍ଗଳ ଦୋଷ ବହୁତ ପ୍ରଭାବଶାଳି ଅଟେ । ମଙ୍ଗଳ ଗ୍ରହଙ୍କ ଉଭୟ ସ୍ଥିତି ଓ ଦୃଷ୍ଟି ସଂଘାତିକ ପ୍ରଭାବ ପକାଇଥାଏ । ବୈବାହିକ ଜୀବନ ଉପରେ ମଙ୍ଗଳ ଦୋଷର ପ୍ରଭାବ ଅଧିକ ପଡେ । ତେଣୁ ବିବାହ ପୂର୍ବରୁ ଜାତକ ମେଳକ କରି ମଙ୍ଗଳ ଦୋଷକୁ ବିଚାର କରାଯିବା ଆବଶ୍ୟକ । ଜାତକରେ ମଙ୍ଗଳ ଗ୍ରହ ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ ଓ ଦ୍ଵାଦଶ ଭାବରେ ରହିଲେ ମଙ୍ଗଳ ଦୋଷ ସୃଷ୍ଟି ହୁଏ । ଏହି ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ ଓ ଦ୍ଵାଦଶ ଭାବରେ ମଙ୍ଗଳ ରହିଲେ ବିଶେଷ କରି ବୈବାହିକ ଜୀବନ ଉପରେ ପ୍ରଭାବ ପକାଇଥାଏ ।
ମାଙ୍ଗଳିକ ଦୋଷ ଥିବା ଜାତକକୁ ବିବାହରେ ବାଧା ସୃଷ୍ଟି ହୁଏ କାହିଁକି ?
ମାଙ୍ଗଳିକ ଦୋଷ ଥିବା ଜାତକର ବିଳମ୍ବରେ ବିବାହ ହୁଏ, କାରଣ ମଙ୍ଗଳ ଗ୍ରହ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ଅନ୍ୟ ଗ୍ରହଙ୍କ ସହିତ ରହିଲେ ଝଗଡା କରନ୍ତି । ମଙ୍ଗଳଙ୍କ ଏହି ସ୍ଵଭାବ ହେତୁ ଜାତକର ଜୀବନ ସାଥିଙ୍କ ସହିତ ସମସ୍ୟା ସୃଷ୍ଟି ହୁଏ ।
ପ୍ରଭାବିତ ଜାତକ –
ମଙ୍ଗଳ ଗ୍ରହଙ୍କୁ ଯୁଦ୍ଧର ଦେବତା କୁହାଯାଏ, କାରଣ ଅନ୍ୟଠାରୁ ଦୂରରେ ଏକୁଟିଆ ରହିବାକୁ ପସନ୍ଦ କରିଥାଏ । ଏମାନଙ୍କର ପ୍ରବୃତି କ୍ରୋଧଭାବ ଅଟେ । ଏହି ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ଜାତକ କ୍ରୋଧୀ, ଲଢେଇ ଝଗଡା ବା ବିବାଦ ଯୁକ୍ତ ହୋଇଥାନ୍ତି । ଜାତକ ନିଜର ଏହି ସ୍ଵାଭାବ ଠାରୁ ଯେତେ ଦୂରେଇ ରହିଲେ ମଧ୍ୟ ତାହା କିଛି ନା କିଛି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଯେଉଁ କାରଣରୁ ବ୍ୟକ୍ତି କ୍ରୋଧ ଜନିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ଜାତକ ଚିଡିଚିଡା ଓ ଝଗଡାଳୁ ହୋଇଥାନ୍ତି ।
ପ୍ରଭାବ –
ବିବାହରେ ବିଳମ୍ବ ହେବା । ବିବାହ ସମ୍ବନ୍ଧ ଠିକ୍ ହେବା ପରେ ବିବାହ ଭାଙ୍ଗିଯିବା । ବିବାହ ସମୟରେ ବାଧା ବିଘ୍ନ ସୃଷ୍ଟି ହେବା । ବିବାହ ପରେ ଜୀବନ ସାଥିଙ୍କ ସହିତ ଝଗଡା ହେବା ଓ ସମ୍ବନ୍ଧରେ ତିକ୍ତତା ଆସିବା । ବୈବାହିକ ଜୀବନରେ ଦୁଃଖ ପାଇବା । ଅଯଥା କଥାରେ କ୍ରୋଧ କରିବା । ମାଙ୍ଗଳିକ ଦୋଷର ପ୍ରଭାବରେ ଜାତକ କ୍ରୋଧୀ, ଅହଂକାରୀ ଓ ଝଗଡାଳୁ ହୋଇଥାନ୍ତି ।
ଉପାୟ –
୧- ମାଙ୍ଗଳିକ ଦୋଷ ଥିଲେ ଜାତକ ମାଙ୍ଗଳିକ ଦୋଷ ଥିବା ଜାତକ ସହିତ ବିବାହ କଲେ ଏଥିରେ ବୈବାହିକ ଜୀବନରେ ମାଙ୍ଗଳିକ ଦୋଷର ପ୍ରଭାବ କମ୍ ହୋଇଯାଏ । କିନ୍ତୁ ଛାଡପତ୍ର ଭଳି ସମସ୍ୟା ଦେଖାଦେଇ ଥାଏ ।
୨- ଯଦି ମାଙ୍ଗଳିକ ଜାତକ ଅନ୍ୟ ମାଙ୍ଗଳିକ ଦୋଷ ନଥିବା ଜାତକ ସହିତ ବିବାହ କରିବାକୁ ଇଛା କରେ ତେବେ ମାଙ୍ଗଳିକ ଜାତକକୁ ଅଶୋସ୍ଥବୃକ୍ଷ ବିବାହ, କୁମ୍ଭ ବିବାହ, ସାଳଗ୍ରାମ ବିବାହ ଓ ମଙ୍ଗଳ ଯନ୍ତ୍ର ପୂଜା କରିବା ଉଚିତ୍ । ଏହି ଉପାୟରେ ମାଙ୍ଗଳିକ ଦୋଷର ପ୍ରଭାବ ଦୂର ହୋଇଯାଏ ।
୩- ମାଙ୍ଗଳିକ ଦୋଷ ଜାତକ ଶ୍ରୀ ହନୁମାନ ଚାଳିଶା ପାଠ କରିବା, ଶ୍ରୀ ଗଣେଶଙ୍କୁ ପୂଜା କରିବା ଓ ମଙ୍ଗଳ ଯନ୍ତ୍ର ପୂଜା କରିଲେ ଲାଭ ମିଳିଥାଏ ।
୪- ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ରତ ରଖିବା ସହ ମା ମଙ୍ଗଳାଙ୍କ ମନ୍ଦିରକୁ ଯିବା ଉଚିତ୍ । ଏହା କରିବା ଦ୍ଵାରା ମଙ୍ଗଳଙ୍କ ପ୍ରଭାବ କମ୍ ହୋଇଯାଏ ।
୫- ଯଦି ମାଙ୍ଗଳିକ ଦୋଷଥିବା କନ୍ୟାର ବିବାହ ମାଙ୍ଗଳିକ ଦୋଷ ନଥିବା ବ୍ୟକ୍ତି ସହିତ ବିବାହ ହୁଏ, ତେବେ ଏହି ଦୋଷ ନିବାରଣ ହେତୁ ମଙ୍ଗଳା ଗୌରୀ ଓ ବଟସାବିତ୍ରୀ ବ୍ରତ କରିଲେ ସୌଭାଗ୍ୟ ପ୍ରଦାନ କରିଥାନ୍ତି ।
୬- ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଲେ ସବୁ କଷ୍ଟ ନିବାରଣ ହୋଇଥାଏ ।
ଆଂଶିକ ମାଙ୍ଗଳିକ ଦୋଷ –
ଏହି ଦୋଷ ଜାତକର ୧୮ ବର୍ଷ ବୟସରେ ସମାପ୍ତ ହୋଇଯାଏ । ଏହାର ପ୍ରଭାବ କମ୍ ହୋଇଥାଏ ଏବଂ ଏହାର ନିବାରଣ ପାଇଁ ପୂଜା ଓ ଅନୁଷ୍ଠାନ ଦ୍ଵାରା ଦୂର କରାଯାଏ । ଶାନ୍ତି ପୂଜାରେ ମଧ୍ୟ ଏହି ଦୋଷ ସମାପ୍ତ କରାଯାଏ ।
ଏକାଧିକ ମାଙ୍ଗଳିକ ଦୋଷ –
ଯଦି ଆପଣଙ୍କ ଜାତକରେ ଡବଲ ବା ତ୍ରିପଲ ମାଙ୍ଗଳିକ ଦୋଷ ଥାଏ ତେବେ ଏହାକୁ ଏକାଧିକ ମାଙ୍ଗଳିକ ଦୋଷ କୁହାଯାଏ । ଏହି ଦୋଷର ଉପାୟ କୁମ୍ଭ ବିବାହ ଅଟେ, ଯାହା କି ମାଙ୍ଗଳିକ ଜାତକ ଏକ ମାଟିର କଳସ ବା ହାଣ୍ଡି ସହିତ ବିବାହ କରାଯାଏ । ବିବାହ ପରେ ଏହି ମାଟି ହାଣ୍ଡିକୁ ଜଳରେ ପ୍ରବାହିତ କରାଯାଏ । ଏହି ଉପାୟରେ ଏକାଧିକ ମାଙ୍ଗଳିକ ଦୋଷ ସମାପ୍ତ ହୋଇଯାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।